ମୂଳ ରଚନା : ଆମାଣ୍ଡା ଗୋର୍ମାନ୍
ଭାଷାନ୍ତର: ସ୍ୱରୁପାନନ୍ଦ ବିଷୟୀ
(୨୨ ବର୍ଷୀୟା ଆମାଣ୍ଡା ଗୋର୍ମାନ୍ ହେଉଛନ୍ତି ଜଣେ ଆମେରିକୀୟ କବୟିତ୍ରୀ ଓ ସାମାଜିକ କର୍ମୀ । ତାଙ୍କ କବିତାରେ ରଙ୍ଗଭେଦ, ଜାତିଭେଦ ବିପକ୍ଷରେ ଏବଂ ଶୋଷିତ, ନିର୍ଯ୍ୟାତିତ ତଥା ନାରୀମୁକ୍ତି ସପକ୍ଷରେ ଶାଣିତ ସ୍ୱର ଫୁଟିଉଠେ । ନିକଟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ସମାରୋହରେ ସେ ନିଜର ସ୍ୱରଚିତ “ଦ ହିଲ୍ ୱି କ୍ଲାଇମ୍ବ୍” କବିତା ଆବୃତ୍ତି କରି ସେ ଚର୍ଚ୍ଚାକୁ ଆସିଥିଲେ । ଲେଖାଟି ସେହି କବିତାର ଓଡ଼ିଆ ଭାଷାନ୍ତର । )
Original Poem |
My Translation |
When day comes we ask ourselves, And yes we are far from polished Scripture tells us to envision But while democracy can be periodically delayed We will not march back to what was So let us leave behind a country When day comes we step out of the shade, |
ଦିବସର ଆଗମନରେ ଆମେ ନିଜକୁ
ପଚାରୁ ଏ ଅନ୍ତହୀନ ଛାୟାରେ ଆଲୋକ ପାଇବା କେଉଁଠି ? ଆମର ସମସ୍ତ କ୍ଷତିର ସମୁଦ୍ର ଆମକୁ ଲଂଘିବାକୁ ହେବ ।
ଆମେ ଏକ ଭୟଙ୍କର ପରିସ୍ଥିତି ଦେଇ ଗତି କରୁଛୁ । ଆମେ ଶିଖିଲୁ ଯେ, ଶାନ୍ତ ସର୍ବଦା ଶାନ୍ତି ନୁହେଁ ଏବଂ ଆଦର୍ଶ ଓ
ଧାରଣାରେ ଯାହା ଠିକ୍ ତାହା ସବୁବେଳେ ନ୍ୟାୟ ନୁହେଁ । ତଥାପି ସବୁକାଳେ, ଆମ ଅଜାଣତରେ ଆଗାମୀ ସକାଳ ଆମର ହିଁ ହୋଇ ରହିଥାଏ ।
ଆମେ କୌଣସି ପ୍ରକାରେ ଏମିତି ଏକ ଦେଶରେ ତିଷ୍ଠି ରହିଛୁ ଯାହା ଏବେ ଯାଏ ଭାଙ୍ଗି ପଡ଼ିନାହିଁ
କିନ୍ତୁ ଏହି ଦେଶ ନିର୍ମାଣ ତଥାପି ସରିନାହିଁ । ଆମେ ସେହି ଦେଶ ଏବଂ ସମୟର ଉତ୍ତରାଧିକାରୀ,
ଯେଉଁଠି ଦାସତ୍ୱର ବଂଶଧର
ତଥା ଏକ ଏକାକୀ ମା ଦ୍ୱାରା ପାଳିତ ହୋଇଥିବା ଏକ କୃଷ୍ଣକାୟ କୃଶାଙ୍ଗୀ ଆମେରିକାର ରାଷ୍ଟ୍ରପତି
ହେବାକୁ ସ୍ୱପ୍ନ ଦେଖିପାରେ ଏବଂ ଏକ ରାଷ୍ଟ୍ରପତିଙ୍କ ପାଇଁ ଦିନେ କବିତା ଆବୃତ୍ତି କରିପାରେ । ଏବଂ ହଁ, ଆମେ ଶୋଭନୀୟ ଓ ନିଷ୍କଳଙ୍କ ନୋହୁଁ କିନ୍ତୁ ତା ମାନେ ନୁହେଁ ଯେ ଆମେ ଏମିତି ଏକ ଦେଶ ଗଠନ କରିବାକୁ ଚେଷ୍ଟା କରୁଛୁ ଯାହା କି ସର୍ବସଂପୂର୍ଣ୍ଣ । ଆମେ କେବଳ ମାନବ ସମାଜର ସମସ୍ତ ସଂସ୍କୃତି, ରଙ୍ଗଭେଦ, ଚରିତ୍ର, ଓ ଅବସ୍ଥା ପାଇଁ ପ୍ରତିବଦ୍ଧ ଏକ ମହତ୍ ଉଦ୍ଦେଶ୍ୟରେ ଏକ ସଫଳ ଦେଶ ନିର୍ମାଣ କରିବାକୁ ଚେଷ୍ଟା କରୁଛୁ । ତେଣୁ ଆମକୁ ଆମମାନଙ୍କ ମଧ୍ୟରେ ଯେଉଁ ବିଭେଦ ଅଛି ତାକୁ ନ ଦେଖି ଆମ ସମ୍ମୁଖରେ କଣ ଅଛି ତାହା ଦେଖିବାକୁ ହେବ ଏବଂ ସେ ବିଭେଦର ପ୍ରାଚୀରକୁ ଭାଙ୍ଗିବାକୁ ହେବ କାରଣ ଆମ ଭବିଷ୍ୟତ ଗଠନକୁ ଅଗ୍ରାଧୀକାର ଦେବାକୁ ହେଲେ ଆମକୁ ସେ ସମସ୍ତ ବିଭେଦକୁ ଏଡ଼ାଇବାକୁ ପଡ଼ିବ । ହାତରେ ହାତ ମିଳେଇବାକୁ ହେଲେ, ଆମକୁ ପ୍ରଥମେ ହାତ ତଳକୁ କରିବାକୁ ପଡ଼ିବ । ଆମେ ସମନ୍ୱୟ ଚାହୁଁ ଏବଂ ଚାହୁଁ କି କାହାକୁ ଆଘାତ ନ ପହଞ୍ଚୁ । ସମଗ୍ର ବିଶ୍ୱ ଏହି ସତ୍ୟଟି ଜାଣୁ ଯେ ଆମର ସମସ୍ତ ଶୋକରେ ବି ଆମେ ଆଗେଇ ଚାଲିଥିଲୁ, ଆହତ ହେଲେ ବି ଆଶା ଛାଡ଼ି ନ ଥିଲୁ, ଥକି ପଡ଼ିଥିଲୁ ହେଲେ ଚେଷ୍ଟା କରିଥିଲୁ । ଏବଂ ଶେଷରେ ଆମେ ଏକତ୍ର ବିଜୟଲାଭ କରିଥିଲୁ ଏଥିପାଇଁ ନୁହେଁ ଯେ ଆମେ ଆଉ କେବେ ପରାଜିତ ହେବା ନାହିଁ, ବରଂ ଏଥିପାଇଁ ଯେ ଆମେ ବିଭେଦର ମଞ୍ଜି ଆଉ କେବେ ବୁଣିବା ନାହିଁ । ଆମ ଶାସ୍ତ୍ର ଆମକୁ ସନ୍ଦେଶ ଦିଏ ଯେ, ସମସ୍ତେ ଦିନେ ସ୍ୱାଧୀନ ଓ ସମୃଦ୍ଧ ହେବେ ଓ କେହି କାହାକୁ ଭୟଭୀତ କରିବେ ନାହିଁ । ଆମେ ଯଦି ଆଜିର ଏ ସମୟକୁ ସାମ୍ନା କରିବାକୁ ଚାହୁଁଛୁ ତା ହେଲେ ଆମକୁ ଜାଣିବାକୁ ହେବ ଯେ ତରବାରୀର ଧାରରେ ନୁହେଁ ବରଂ ସଂପର୍କର ସେତୁରେ ଆମ ବିଜୟ ନିହିତ । ଏହା ହିଁ ପାହାଡ଼ର ସେ ପାରିରେ ଥିବା ଆମେ ଖୋଜୁଥିବା ବିସ୍ତୀର୍ଣ୍ଣ ଘାସ ପଡ଼ିଆ ଯେଉଁ ପାହାଡ଼ ଲଙ୍ଘିବାକୁ ଆମକୁ ଅଦମ୍ୟ ସାହସ ଲୋଡ଼ା । କାରଣ, ଆମେ ଆମେରିକୀୟ ହେବା ହିଁ ଆମର ଗର୍ବ ଓ ଗୌରବଠୁ ଆହୁରି ବେଶୀ କିଛି ଏବଂ ଆମକୁ ଆମ ଅତୀତର ଭୂଲ୍କୁ ବର୍ତ୍ତମାନ ସୁଧାରିବାକୁ ହେବ । ନିକଟରେ ଆମେ ପ୍ରାୟ ସଫଳ ହୋଇ ଆସିଥିବା ଏମିତି ଏକ ଶକ୍ତିକୁ ଦେଖିଲୁ , ଯାହା ଆମ ଦେଶକୁ ଯୋଡ଼ିବା ପରିବର୍ତ୍ତେ ଭାଙ୍ଗିବାରେ ଓ ଗଣତନ୍ତ୍ରକୁ ବିଳମ୍ବିତ କରିବାରେ ବଦ୍ଧ ପରିକର । କିନ୍ତୁ ଗଣତନ୍ତ୍ର ସମୟେ ସମୟେ ବିଳମ୍ବିତ ହୋଇପାରେ, କିନ୍ତୁ ଏହା ସ୍ଥାୟୀ ଭାବରେ ପରାଜିତ ହୋଇପାରିବ ନାହିଁ । ଏହି ଅତୁଟ ସତ୍ୟ ଓ ବିଶ୍ୱାସରେ ଆମେ ନିର୍ଭରଶୀଳ । ଆମେ ଭବିଷ୍ୟତକୁ ଦେଖିବାକୁ ପ୍ରସ୍ତୁତ କିନ୍ତୁ ଇତିହାସ ଆମକୁ ଦେଖୁଛି । ଆମେ ଯାହା ଭୟ କରୁଥିଲୁ, ସେହି ପ୍ରାୟଶ୍ଚିତର ଯୁଗ ଏବେ ଆସିଯାଇଛି । ଆମେ ଏପରି ଏକ ସମୟର ଉତ୍ତରାଧୀକାରୀ ହେବାକୁ ପ୍ରସ୍ତୁତ ନ ଥିଲୁ, କିନ୍ତୁ ଏମିତି ଏକ ସମୟରେ ବି ଆମେ ନିଜକୁ ଆଶା ଓ ଖୁସି ଅର୍ପଣ କରିବାର ଏକ ନୂତନ ଅଧ୍ୟାୟ ରଚନା ପାଇଁ ଶକ୍ତି ପାଇପାରିଛୁ । ଦିନେ ଆମେ ନିଜକୁ ପଚାରୁ ଥିଲୁ ଯେ ଆମେ ବିପତ୍ତି ଉପରେ କେମିତି ବିଜୟଲାଭ କରିପାରିବା? ଆଜି ଆମେ ନିଶ୍ଚିତ କରିବା ଯେ ବିପତ୍ତି ଆମ ଉପରେ କେବେ ବିଜୟଲାଭ ନ କରୁ । ଆମେ ପଛକୁ ହଟିବା ନାହିଁ କିନ୍ତୁ ସେହି ଦେଶରେ ଆଗକୁ ବଢ଼ି ଚାଲିବା ଯେଉଁ ଦେଶ କି ଆଜି କ୍ଷତବିକ୍ଷତ କିନ୍ତୁ ସ୍ୱୟଂସଂପୂର୍ଣ୍ଣ, ଦୟାଶୀଳ କିନ୍ତୁ ସାହସୀ, ପ୍ରଖର କିନ୍ତୁ ମୁକ୍ତ । ଆମେ ପଛକୁ ହଟିବା ନାହିଁ, ଧମକରେ ଭୟଭୀତ ହେବା ନାହିଁ କାରଣ ଆମେ ଜାଣୁ ଆମ ସ୍ଥାଣୁତା ଓ ନିଷ୍କ୍ରିୟତାର ଉତ୍ତରାଧିକାରୀ ହେବେ ଆମର ପରବର୍ତ୍ତୀ ପୀଢ଼ି ଏବଂ ଆମର ଭୂଲ୍ର ଭାର ତାଙ୍କ ଉପରେ ପଡ଼ିବ । ଗୋଟିଏ କଥା କିନ୍ତୁ ନିଶ୍ଚିତ, ଯଦି ଆମେ ଦୟା ସହ ପରାକ୍ରମକୁ ଯୋଡ଼ିବା ଏବଂ ପରାକ୍ରମକୁ ଅଧୀକାର ସହ ଯୋଡ଼ିବା ତେବେ ଆମେ ପ୍ରେମର ଏକ ଅନନ୍ୟ ଯୁଗ ଗଢ଼ି ତୋଳିବା ଓ ତାକୁ ଆମ ପିଲାମାନଙ୍କର ଜନ୍ମାଧିକାରରେ ପରିଣତ କରିପାରିବା । ତେଣୁ ଆସନ୍ତୁ, ସେହି ପୁରୁଣା ଦେଶକୁ ଛାଡ଼ି ଆମର ନୂଆ ଦେଶକୁ ଆପଣେଇବା । ମୋ କୃଷ୍ଣମୁଗୁନି ପଥର ଛାତିର ପ୍ରତିଟି ନିଃଶ୍ୱାସର ବିଶ୍ୱାସ, ଆମେ ଏହି କ୍ଷତବିକ୍ଷତ ଜଗତକୁ ଏକ ବିସ୍ମୟ ଜଗତରେ ପରିଣତ କରିବୁ । ଆମର ଉତ୍ଥାନ ହେବ ସ୍ୱର୍ଣ୍ଣାଙ୍ଗ ପଶ୍ଚିମରୁ, ପବନପ୍ଲାତ ଉତ୍ତର-ପୂର୍ବରୁ ଯେଉଁଠାରୁ ଆମ ପୂର୍ବପୁରୁଷ ବିପ୍ଲବର ଅୟମାରମ୍ଭ କରିଥିଲେ; ଆମର ଉତ୍ଥାନ ହେବ ମଧ୍ୟ-ପଶ୍ଚିମ ରାଜ୍ୟଗୁଡ଼ିକର ହ୍ରଦ କୂଳ ସହର ଗୁଡିକରୁ, ସୂର୍ଯ୍ୟସ୍ନାତ ଦକ୍ଷିଣରୁ । ଆମେ ଆମ ଦେଶର ପ୍ରତିଟି କୋଣ ଅନୁକୋଣ ପୁନନିର୍ମାଣ, ପୁନଃସ୍ଥାପନ ତଥା ପୁନରୁଦ୍ଧାର କରିବୁ । କ୍ଷତାକ୍ତ ହୁଅନ୍ତୁ ପଛେ, ବିବିଧତା ଓ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଆମ ପ୍ରଜାଗଣ ପୁଣି ହସି ଉଠିବେ । ଦିବସର ଆଗମନରେ ଆମେ ଛାୟାରୁ ବାହାରି ଆସିବା । ଜଳିବା କିନ୍ତୁ ଭୟଭୀତ ହେବା ନାହିଁ । ନୂତନ ସକାଳ ସେବେ ଜନ୍ମ ନେବ, ଯେବେ ଆମେ ତାକୁ ଉଦ୍ଧାର କରିବା । ଆଲୋକ ସବୁବେଳେ ଉପସ୍ଥିତ, ଖାଲି ତାକୁ ଦେଖିବା ପାଇଁ ଅଦମ୍ୟ ସାହସ ଲୋଡ଼ା; ଆଲୋକ ହେବା ପାଇଁ ବି ତ ଅଦମ୍ୟ ସାହସ ଲୋଡ଼ା । |